ଦିନର ତାପମାତ୍ରା ଏବେଠୁ ସହି ହେଉନି । ମାଘ ମାସର ଥଣ୍ଡା ଯେମିତି କୁଆଡେ ଉଭାନ୍ ହୋଇଯାଇଛି । ରାଜଧାନୀରେ 34 ଡ଼ିଗ୍ରୀ ଅତିକ୍ରମ କରିଛି ପାରଦ ।
ଫେବୃଆରୀ ଆରମ୍ଭରୁ କଲବଲ କଲାଣି ତାତି । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବଢିବ ।
ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବଢିବ । ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ବଲାଙ୍ଗିର, ସୋନପୁର, ନୂଆପଡା ଭଳି ଜିଲ୍ଲାରେ ମେଘମୁକ୍ତ ଆକାଶ ରହିବା ସହ ୩୦ ରୁ ୩୪ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବ ।
ସେହିଭଳି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ । ତାତି ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ଏପଟେ ଭରତୀୟ ପାଣିପାଗ ବିଭାଗର ଆକଳନ ଚଳିତ ଫେବୃଆରୀ ମାସରେ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା।
