ଲୋକଙ୍କ ଅଭିଯୋଗର ତ୍ବରିତ ସମାଧାନ ସମ୍ପର୍କରେ ସମସ୍ତ ବିଭାଗକୁ ଲେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ଧଳ । ଚିଠିରେ ଲେଖାଯାଇଛି ଯେ ଜନ ଶୁଣାଣି ହେଉଛି ଓଡିଶା ସରକାରଙ୍କ ସର୍ବୋତ୍ତମ କାର୍ଯ୍ୟକ୍ରମ । ମାତ୍ର ପ୍ରାପ୍ତ ଅଭିଯୋଗ ଗୁଡିକର ସ୍ଥିତି ସମୀକ୍ଷା କରିବା ସମୟରେ ଏହା ପରିଲକ୍ଷିତ ହୋଇଛି ଯେ ଅନେକ ଅଭିଯୋଗ ଦୀର୍ଘ ଦିନ ଧରି ବିଭିନ୍ନ ସ୍ତରରେ ତ୍ବରିତ ପଦକ୍ଷେପ ନେବାରେ ବିଳମ୍ବ ହେଉଛି । ଯାହା ଦ୍ବାରା ଅଭିଯୋଗକାରୀ ମାନେ ସମାନ ଅଭିଯୋଗକୁ ନେଇ ବାରମ୍ବାର ଆସୁଛନ୍ତି । ତେଣୁ ଯେଉଁ ଅଧିକାରୀମାନେ ଜାଣିଶୁଣି ଅଭିଯୋଗ ଗୁଡିକର ସମାଧାନରେ ଅବହେଳା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଯାହାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଲୋକଙ୍କ ଅଭିଯୋଗ ଶୁଣାଣି ଆମ ସରକାରଙ୍କ ପ୍ରାଥମିକତା । ସେଥିରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନିହାତି ନିଆଯିବ ।
ମୁଖ୍ୟମନ୍ତ୍ରୀଙ୍କ 7 ପାଳି ଜନ ଶୁଣାଶି ମଧ୍ୟରୁ ପ୍ରଥମ ପାଳିରେ 90 ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିବା ବେଳେ ଦ୍ବିତୀୟରେ 88 ପ୍ରତିଶତ, ତୃତିୟ ପାଳିରେ 86 ପ୍ରତିଶତ, ଚତୁର୍ଥ ପାଳିରେ 84 ପ୍ରତିଶତ, ପଞ୍ଚମ ପାଳିରେ 83 ପ୍ରତିଶତ, ଷଷ୍ଠ ପାଳିରେ 54 ପ୍ରତିଶତ ଓ ସପ୍ତମ ପାଳିରେ 47 ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ବିରକ୍ତି ପ୍ରକାଶ କରିବା ସହ ଅଫିସରଙ୍କୁ ଏପରି କଡାବାର୍ତ୍ତା ଦେଇଥିବା କୁହାଯାଉଛି ।
